ମିଥ୍ୟା ତଥ୍ୟ ଦେଇ ନିଯୁକ୍ତି ପାଇଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ! ଜବାବ ତଲବ କଲେ ରାଜ୍ୟପାଳ

ଭୁବନେଶ୍ବର : ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ପିଛା ଛାଡୁନି ବିବାଦ । ପ୍ରଥମେ ଦୀନବନ୍ଧୁ ଆତ୍ମଦାହ ମାମଲାରେ ଛନ୍ଦି ହୋଇପଡିଥିବା ବେଳେ ଏବେ କୁଳପତି ପଦ ପାଇଁ ଆବେଦନପତ୍ରରେ ମିଥ୍ୟା ତଥ୍ୟ ଦେଇଥିବା ଅଭିଯୋଗରେ ଫସିଯାଇଛନ୍ତି। ପ୍ରଫେସର ମିତ୍ତଲଙ୍କୁ ଜବାବ ତଲବ କରିଛନ୍ତି କୁଳାଧିପତି। ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପଦ ପାଇଁ ଆବେଦନ ସମୟରେ ପ୍ରଫେସର ମିତ୍ତଲ ତାଙ୍କ ପବ୍ଲିକେସନ୍ସ ସଂପର୍କରେ ଆବେଦନପତ୍ରରେ ଭୁଲ୍ ତଥ୍ୟ ଦେଇଥିବା ନେଇ ବିଶ୍ବବିଦ୍ୟାଳୟର ପୂର୍ବତନ ସିଣ୍ଡିକେଟ୍ ସଦସ୍ୟ, ଓକିଲ ଦୁର୍ଗା ପାଢ଼ୀ, ସୁମନ୍ତ ସ୍ବାଇଁ ଏବଂ ଅରୁଣ କୁମାର ଭୁଲ୍ ତଥ୍ୟ ଦେଇଥିବା ନେଇ କୁଳାଧିପତିଙ୍କଠାରେ ଅଭିଯୋଗ କରିଥିଲେ। 

ପ୍ରଫେସର ମିତ୍ତଲ ଆବେଦନପତ୍ରରେ ତାଙ୍କର ୮ଟି ପୁସ୍ତକ ଏବଂ ୧୧୧ଟି ପବ୍ଲିକେସନ୍ସ ରହିଥିବା ଏବଂ ସେଥିରୁ ୨୫ଟି ସ୍କୋପସ୍(ୱେବ୍ ସାଇନ୍ସ), ଏସସିଆଇ/ଇଏସସିଆଇରେ ସ୍ଥାନିତ ଥିବା ନେଇ ଉଲ୍ଲେଖ କରିଥିଲେ। ଏଥି ସହିତ ପ୍ରଫେସର ମିତ୍ତଲ ତାଙ୍କ ଆବେଦନପତ୍ରରେ ଏକ ଘୋଷଣାନାମାରେ ଉଲ୍ଲେଖ କରିଥିଲେ ଯେ, ‘ସେ ଦେଇଥିବା ତଥ୍ୟ ଯଦି ମିଥ୍ୟା କିମ୍ବା ତ୍ରୁଟିପୂର୍ଣ୍ଣ ଥିବା ପ୍ରମାଣିତ ହୁଏ, ତେବେ ସେ ନିଯୁକ୍ତି ପାଇଥିଲେ ମଧ୍ୟ ବିନା କୌଣସି ନୋଟିସ୍ ଦେଇ ତାଙ୍କ ନିଯୁକ୍ତି ବାତିଲ କରାଯାଇପାରିବ।’ 

ଗତ ଜୁଲାଇ ୧୭ ରେ ଦୁର୍ଗା ପାଢ଼ୀ ଓ ଅନ୍ୟ ଦୁଇଜଣ କୁଳାଧିପତିଙ୍କୁ ଲେଖିଥିବା ଚିଠିରେ ଅଭିଯୋଗ କରିଥିଲେ ଯେ, ପ୍ରଫେସର ମିତ୍ତଲ ନିଜ ପୁସ୍ତକ ସଂପର୍କରେ କେତେକ ତଥ୍ୟ ଲୁଚାଇଛନ୍ତି , ତାଙ୍କ ପବ୍ଲିକେସନସ୍ ମଧ୍ୟରୁ କେବଳ ୧୦ଟି ଆର୍ଟିକିଲ୍ ସ୍କୋପସ୍(ୱେବ୍ ସାଇନ୍ସ), ଏସସିଆଇ ଓ ଇଏସସିଆଇରେ ସ୍ଥାନିତ ହୋଇଥିବା ସହିତ ଅନ୍ୟ କେତେକ ଗୁରୁତର ଅଭିଯୋଗ ଆଣିଥିଲେ। ପ୍ରଫେସର ସଂଜୀବ ମିତ୍ତଲ କୁଳପତି ପଦ ହାସଲ କରିବା ପାଇଁ ତଥ୍ୟ ଲୁଚାଇବା ସହ , ଅନେକ ମିଥ୍ୟା ତଥ୍ୟ ଦେଇଥିବାରୁ ତାଙ୍କ ଘୋଷଣାନାମା ମୁତାବକ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ କୁଳାଧିପତିଙ୍କୁ ଅନୁରୋଧ କରିଥିଲେ। 

ଅଭିଯୋଗ ଆସିବା ପରେ କୁଳାଧିପତିଙ୍କ ସଚିବାଳୟର ଅତିରିକ୍ତ ସଚିବ ଚିତ୍ତରଂଜନ ମହାନ୍ତି ଗତ ୨୪ ତାରିଖ ଦିନ ପ୍ରଫେସର ସଞ୍ଜୀବ ମିତ୍ତଲଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂକ୍ରାନ୍ତରେ ସେମାନଙ୍କ ମତ ରଖିବାକୁ କହିଛନ୍ତି। କୁଳାଧିପତିଙ୍କ ସଚିବାଳୟର ଅତିରିକ୍ତ ସଚିବ ଏହି ଚିଠି ସହିତ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗପତ୍ର ଏବଂ ଖବରକାଗଜରେ ଏ ସଂପର୍କରେ ପ୍ରକାଶିତ ଖବରର ଏକ କ୍ଲିପିଂ ମଧ୍ୟ ପଠାଇଛନ୍ତି।

ସୂଚନା ଥାଉକି ଦୀନବନ୍ଧୁ ଆତ୍ମଦାହ ମାମଲାରେ ଛନ୍ଦି ହୋଇଥିବା ପ୍ରଫେସର ମିତ୍ତଲ ହାଇକୋର୍ଟରୁ ଜାମିନ ପାଇଥିବା ବେଳେ ଏବେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗରେ ଫସିଛନ୍ତି । ଏହା ପୂର୍ବରୁ ପରୀକ୍ଷାକୁ କେନ୍ଦ୍ର କରି ଆନ୍ଦୋଳନ କରିବାକୁ ଆସିଥିବା ବିଭିନ୍ନ କଲେଜର ଛାତ୍ରମାନେ ବିଶ୍ବବିଦ୍ୟାଳୟ ପ୍ରଶାସନର ଆଭିମୁଖ୍ୟ ଉପରେ ଅସନ୍ତୋଷ ବ୍ୟକ୍ତ କରି ସେଠାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଦୀନବନ୍ଧୁଙ୍କ ଆତ୍ମଦାହର କିଛିଦିନ ପୂର୍ବରୁ ପ୍ରଫେସର ମିତ୍ତଲଙ୍କ ବ୍ୟବହାରକୁ ନେଇ ତତ୍କାଳୀନ କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ଉଚ୍ଚଶିକ୍ଷା ବିଭାଗର ସଚିବଙ୍କୁ ପତ୍ର ଲେଖିଥିଲେ। ସେହିପରି ବିଶ୍ବବିଦ୍ୟାଳୟର ଗଛକଟା ଘଟଣାକୁ ନେଇ ବି ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏଭଳି ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲ।

Popular posts from this blog

ପୁରି ବଡ଼ ଦାଣ୍ଡ ଏବଂ ଲୋକନାଥ ମନ୍ଦିର ସେବା ପରିଷର ମଧ୍ୟ ରେ ରହୁଥିବା ସମସ୍ତ ଅସହାୟ ଏବଂ ଦରିଦ୍ର ଶ୍ରେଣୀ ର ଲୋକ ମାନ ଙ୍କୁ ଖାଦ୍ୟ ପଦାର୍ଥ,ପୋଷାକ ଏବଂ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ