ବିଜୁଳି ଯୋଗାଣରେ ଅବ୍ୟବସ୍ଥାକୁ ନେଇ ଗୃହ କମିଟି ବୈଠକରେ ଅସନ୍ତୋଷ ବ୍ଯକ୍ତ କଲେ ବିଧାୟକ, ଅଞ୍ଚଳ ପରିଦର୍ଶନରେ ଯିବ ବିଧାନସଭା ସବ୍-କମିଟି

(H.N. ବ୍ୟୁରୋ) ଭୁବନେଶ୍ୱର : ବିଦ୍ୟୁତ ଉତ୍ପାଦନ, ବଣ୍ଟନ ଓ ଉନ୍ନତୀକରଣ ପ୍ରସଙ୍ଗରେ ଗୁରୁବାର ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟର ବିଦ୍ୟୁତ ଉତ୍ପାଦନ ବଣ୍ଟନ ଓ ଉନ୍ନତୀକରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ରାଜ୍ୟରେ ବିଜୁଳି ଯୋଗାଣ ଅବ୍ୟବସ୍ଥାକୁ ନେଇ ବିଧାୟକ ମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଯୋଗାଣ ବ୍ୟବସ୍ଥାର ଉନ୍ନତୀକରଣ ପାଇଁ ଗଠିତ ଚାରିଟି ବିଧାନସଭା ସବ୍-କମିଟିର ସଦସ୍ୟମାନେ ସ୍ଥିତିର ଆକଳନ ପାଇଁ ସଂପୃକ୍ତ ଅଞ୍ଚଳକୁ ଗ୍ରସ୍ତକରି ବିଧାନସଭାକୁ ରିପୋର୍ଟ ପ୍ରଦାନ କରିବେ ବୋଲି ବାଚସ୍ପତି ପରାମର୍ଶ ଦେଇଛନ୍ତି। 

ଗୃହ କମିଟି ବୈଠକରେ ବିଧାୟକ ଅମର ପ୍ରସାଦ ଶତପଥୀ ବିଜୁଳି ଯୋଗାଣ ବ୍ୟବସ୍ଥାରେ ଉନ୍ନତି ପାଇଁ ଓ ଉପଭୋକ୍ତାଙ୍କ ବିଦ୍ୟୁତ ଦର କମାଇବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ବିଧାୟକ କିଶୋର ମହାନ୍ତି ଗ୍ରାମାଞ୍ଚଳରେ ବିଦ୍ୟୁତ ସଂଯୋଗ ଉନ୍ନତୀକରଣ ଉପରେ ଗୁରୁତ୍ବାରୋପ କରିଥିଲେ। ଅନ୍ୟ ପକ୍ଷରେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଦ୍ୟୁତ ବିତରକ ଟାଟା କମ୍ପାନି ବ୍ୟାପକ କର୍ମଚାରୀ ଛଟେଇ କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। 

ତେବେ ବିଦ୍ଯୁତ୍ ଅବ୍ଯବସ୍ଥାକୁ ନେଇ ଗୃହ କମିଟି ବୈଠକରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଥିଲା। ପରଜଙ୍ଗ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ୍ କୁ ନେଇ ବିଧାୟକ ନୃସିଂହ ଚରଣ ସାହୁ ଅଭିଯୋଗ କରିଥିଲେ। ଏବଂ ଖୁବ୍ ଶୀଘ୍ର ବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ଉନ୍ନତି ପାଇଁ ଏକ ଗ୍ରିଡ୍ ସ୍ଥାପନ କରିବା ପାଇଁ ଦାବି କରିଥିଲେ। 

ବିଧାୟକ ଅନନ୍ତ ଦାସ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବରର ଗ୍ରାମାଞ୍ଚଳରେ ଅଧୁରା କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଦାବି ରଖିଥିଲେ। ସେହିପରି ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ବିତରକ ଟାଟା କମ୍ପାନି କେବଳ ବକେୟା ଟଙ୍କା ଆଦାୟରେ ବ୍ୟସ୍ତ ରହି ବିଦ୍ୟୁତ ସେବା ଯୋଗାଣରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଥିଲେ । ଏହି ବୈଠକରେ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ସମେତ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। 

Popular posts from this blog

ପୁରି ବଡ଼ ଦାଣ୍ଡ ଏବଂ ଲୋକନାଥ ମନ୍ଦିର ସେବା ପରିଷର ମଧ୍ୟ ରେ ରହୁଥିବା ସମସ୍ତ ଅସହାୟ ଏବଂ ଦରିଦ୍ର ଶ୍ରେଣୀ ର ଲୋକ ମାନ ଙ୍କୁ ଖାଦ୍ୟ ପଦାର୍ଥ,ପୋଷାକ ଏବଂ ବିଶୁଦ୍ଧ ପାନୀୟ ଜଳ ବଣ୍ଟନ